ମୋବାଇଲ ସେବା ସାଜିଛି ବାଧକ, ନେଟୱର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ, ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ

ମୋବାଇଲ ସେବା ସାଜିଛି ବାଧକ, ନେଟୱର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ, ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ
ମୋବାଇଲ ସେବା ସାଜିଛି ବାଧକ, ନେଟୱର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ, ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କାଲି ମଡ଼ର୍ଣ୍ଣ ଦୁନିଆରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀ ବହୁ ସମୟରେ ବ୍ୟବହାର କରନ୍ତି ମୋବାଇଲ । ହେଲେ ଓଡ଼ିଶାରେ ଏମିତି କିଛି ଜାଗା ରହିଛି ଯେଉଁଠି ମୋବାଇଲ ସେବା ପାଲଟିଛି ସାତ ସ୍ୱପ୍ନ ।

ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ । ପାହାଡ଼ ଉପରେ ପଢ଼ାସାରି ପୁଣି ଘରକୁ ଫେରୁଛନ୍ତି । ୟା ଭିତରେ ଖରା, ବର୍ଷାମାଡ଼ ମଧ୍ୟ ଖାଉଛନ୍ତି । ଅନ୍‌ଲାଇନ୍ ପାଠପଢ଼ା ପାଇଁ ଏହିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ରାୟଗଡା଼ ସଦର ବ୍ଲକ ପିତାମହଲ ପଞ୍ଚାୟତର କନ୍ଧଖିଲମ ଗାଁରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ରାୟଗଡ଼ା ମହିଳା ମହାବିଦ୍ୟାଳୟ, ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ସମେତ ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ କରୋନା ଲାଗି ଲକ୍‌ଡାଉନ୍ ଚାଲିଥିବାରୁ ସ୍କୁଲ, କେଲଜ ବନ୍ଦ ରହିଛି ।

ସରକାରଙ୍କ ନିର୍ଦ୍ଦେଶରେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀ ପଢ଼ିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କନ୍ଧଖିଲମ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୪-୫ କିଲୋମିଟର ଦୂରରେ ଥିବା ପିତାମହଲକୁ ଚାଲି ଚାଲି ଆସିବାକୁ ପଡ଼ୁଛି । ପ୍ରତିଦିନ ଏତେଦୂର ଚାଲିଆସିବା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ଗାଁ ପାଖରେ ଥିବା ପାହାଡ଼ ଉପରକୁ ଚଢ଼ୁଛନ୍ତି ଛାତ୍ରଛାତ୍ରୀ ।

ମୋବାଇଲ ନେଟୱର୍କ ଆସୁଥିବା ପାହାଡ଼କୁ ନିତିଦିନିଆ ରାସ୍ତା ନଥିବାରୁ ପାଣି, କାଦୁଅ ଭରା ପାଦଚଲା ରାସ୍ତାରେ ଯାଇ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ । ସେଥିରେ ପୁଣି ପାହାଡ଼ ଉପରେ ଅଧା ସମୟ ନେଟୱର୍କ ଆସୁଥିବା ବେଳେ ଅଧା ସମୟ ଆସୁନାହିଁ । ଫଳରେ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି କିଛି ଛାତ୍ରଛାତ୍ରୀ ।

ଠିକ୍ ଭାବରେ ନେଟୱର୍କ ଆସୁନଥିବାରୁ ଅନ୍‌ଲାଇନ୍‌ରେ ପାଠ୍ୟକ୍ରମ ବହୁ ଆଗକୁ ଚାଲିଗଲାଣି ବୋଲି କହିଛନ୍ତି କିଛି ଛାତ୍ରୀ । ମୋବାଇଲ ଟାୱାର ପ୍ରତିଷ୍ଠା ନେଇ ବହୁ ଦାବି ସତ୍ତ୍ୱେ ପ୍ରଶାସନ କିମ୍ବା ବିଏସ୍‌ଏନ୍‌ଏଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କେବଳ କନ୍ଧଖିଲମ ଗାଁ ନୁହେଁ ରାୟଗଡ଼ା ବ୍ଲକର ୮ଟି ପଞ୍ଚାୟତର ୨୫ଟି ଗାଁରେ ମାବୋଇଲ ଟାୱାର ନଥିବାରୁ ଅନ୍‌ଲାଇନ୍ ବାଧାପ୍ରାପ୍ତ ହେବା ସହ ବହୁ ଜରୁରି କାମରେ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ସେହିପରି କସିପୁର ବ୍ଲକର ୮୬ଗ୍ରାମରେ, ଗୁଣୁପୁର ବ୍ଲକର ୪୯, ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକର ୨୫, କଲ୍ୟାଣସିଂହପୁର ବ୍ଲକର ୨୦, ମୁନୁଗୁଡ଼ା ବ୍ଲକର ୧୦, ବିଷମକଟକ ବ୍ଲର ୨୪, ରାମନାଗୁଡ଼ା ବ୍ଲକର ୧୦, ଗୁଡ଼ାରି ବ୍ଲକର ୨୨, ପଦ୍ମପୁର ବ୍ଲକର ୨ଟି ଗାଁରେ ମୋବାଇଲ ସେବା ନାହିଁ ।

ଏପରି ଭାବେ ରାୟଗଡ଼ା ଜିଲ୍ଲାର ୨୭୧ ଗ୍ରାମରେ ମୋବାଇଲ ସେବା ନଥିବାରୁ ଅନ୍‌ଲାଇନ୍ ପାଠବଢ଼ା ପ୍ରହସନରେ ପରିଣତ ହୋଇଛି ।

Share this story

World Odia Language Conferene