ଭାରତ ବନ୍ଦ: ପୋଡ଼ିଲେ, ଭାଙ୍ଗିଲେ, ଲୁଟିଲେ, କଲବଲ କଲେ

ଭାରତ ବନ୍ଦ: ପୋଡ଼ିଲେ, ଭାଙ୍ଗିଲେ, ଲୁଟିଲେ, କଲବଲ କଲେ
ଭାରତ ବନ୍ଦ: ପୋଡ଼ିଲେ, ଭାଙ୍ଗିଲେ, ଲୁଟିଲେ, କଲବଲ କଲେ

ଭୁବନେଶ୍ୱର: ଏନଡିଏ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ଆଜି ଏକାଠି ହୋଇଥିଲେ ବାମ ଦଳ ସହ ଜାତୀୟ ସ୍ତରର ବିରୋଧୀ ଦଳ । ଶ୍ରମିକ ଏବଂ କୃଷକ ସଂଗଠନଗୁଡ଼ିକର ଆହ୍ୱାନ କ୍ରମେ ଏହି ଦଳମାନେ ବନ୍ଦକୁ ସଫଳ କରିବାକୁ ରାସ୍ତାକୁ ଓଲ୍ହାଇଥିଲେ । 12 ଦଫା ଦାବି ନେଇ ସିଆଇଟିୟୁ (CITU) ସମେତ ଅନ୍ୟ ଶ୍ରମିକ ଓ କୃଷକ ସଂଗଠନର ନେତୃବୃନ୍ଦ ଆଜି ଭାରତ ବନ୍ଦ କରିବାକୁ ପୂର୍ବରୁ ଘୋଷଣା କରିଥିଲେ । ଯାହା ଆଜି ସାରା ଦେଶରେ ପ୍ରଭାବ ପକାଇଛି ।

କେଉଁଠି ରାସ୍ତା ଶୂନଶାନ ତ ଆଉ କେଉଁଠି ଦୋକାନ ବଜାର ବନ୍ଦ । ଆଉ କେଉଁଠି ପୋଡ଼ାଜଳା, ପାଟିତୁଣ୍ଡ ଏମିତିକି ସାଧାରଣ ଲୋକଙ୍କ ସହ କଥା କଟାକଟି । ବସଷ୍ଟାଣ୍ଡରେ ବସ୍ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିଲା, କିନ୍ତୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଚାତକ ପରି ଚାହିଁରହିଥିବା ଯାତ୍ରୀ ଭୋକ ଉପାସରେ ମୁଣ୍ଡରେ ହାତ ଦେଇ ବସିଥିଲା । ଅନ୍ୟ କେଉଁଠି ରାସ୍ତା ଉପରେ ଟାୟର ଜାଳି ପ୍ରତିଦାବ ସଭା କରାଯାଇଥିଲା ତ କେଉଁଠି ନେତାମାନଙ୍କୁ ପୋଲିସ ବୁଝାସୁଝା କରିବା ପରେ ସ୍ଥିତି ଆୟତକୁ ଆସୁଥିଲା । କେଉଁଠି କେଉଁଠି ତ ସ୍ଥିତି ଅଣାୟତ ହେବା ପୂର୍ବରୁ ନେତାମାନଙ୍କୁ ଗିରଫ କରି ନେଇଥିଲା ପୋଲିସ । ଭାରତ ବନ୍ଦ ଖବର ଜାଣିନଥିବା ବହୁ ଯାତ୍ରୀ, ପର୍ଯ୍ୟଟକ ଆଜି ଅଧିକ ହଇରାଣ ହରକତ ହୋଇଥିଲେ ।

ରାଜଧାନୀର ତିନି ପ୍ରମୁଖ ସ୍ଥାନରେ ଆଜି ଚିତ୍ର ବେଶ୍ ହୃଦୟ ବିଦାରକ ଥିଲା । ବରମୁଣ୍ଡା ବସଷ୍ଟାଣ୍ଡରେ ବାହାର ରାଜ୍ୟରୁ ଘରକୁ ଫେରିଥିବା ଯାତ୍ରୀ ଗାଁକୁ ଯିବାକୁ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳିଥିଲା । ଏପରିକି ବସଷ୍ଟାଣ୍ଡରେ ଦୋକାନ ବଜାର ବନ୍ଦ ରହିଥିବାରୁ ଭୋକ ଉପାସରେ ଦିନ ବିତାଇଥିଲେ ଯାତ୍ରୀ । ଅଟୋ ଭଡ଼ା କରି ବାହାରକୁ ଯିବାକୁ ସମ୍ବଳ ନାହିଁ ଯଦି ବା ମିଳୁଥିବା ଅଟୋ ଭଡ଼ା ବି ଆକାଶ ଛୁଆଁ । ଅନ୍ୟ ଅର୍ଥ ରେ କହିବାକୁ ଗଲେ ଅଟୋ ଚାଳକ ଯାତ୍ରୀମାନଙ୍କୁ ଲୁଟି ଥିବା ଜଣାପଡ଼ିଛି ।

ସେପଟେ ରେଳ ଷ୍ଟେସନରେ ବି ସମାନ ଅବସ୍ଥା । ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଦେଖାଦେଇଥିଲା ଗୁରୁତର ସମସ୍ୟା । ବିମାନ ବନ୍ଦରରେ ମଧ୍ୟ ଚିତ୍ର ଥିଲା ଅତି ସମ୍ବେଦନଶୀଳ । ବିମାନ ବନ୍ଦରରୁ ବାହାରକୁ ଯିବାକୁ ନା ଅଛି କିଛି ବ୍ୟବସ୍ଥା ନା ଉପାୟ ।

ସେପଟେ ରାଉରକେଲାରେ ବନ୍ଦ ପାଳନ ବେଳେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ରାସ୍ତା ଉପରେ ମାଛ ଗୁଡ଼ିକ ଛଟପଟ ହେଉଥିବାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼, ଯାଜପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ଦ ବେଳେ ସତର୍କତା ଦୃଷ୍ଟିରୁ ଏହି ଛୁଟି ଘୋଷଣା କରାଯାଇଥିବା ସଂପୃକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Share this story

World Odia Language Conferene