ବିଏମ୍‌ସି ମାରିଲା କ୍ବାରାଣ୍ଟିନ୍‌ ବୋର୍ଡ, କ୍ୟାମ୍ପସରେ କୋକୁଆ ଭୟ, ଉତ୍ତେଜନା

ବିଏମ୍‌ସି ମାରିଲା କ୍ବାରାଣ୍ଟିନ୍‌ ବୋର୍ଡ, କ୍ୟାମ୍ପସରେ କୋକୁଆ ଭୟ, ଉତ୍ତେଜନା
ବିଏମ୍‌ସି ମାରିଲା କ୍ବାରାଣ୍ଟିନ୍‌ ବୋର୍ଡ, କ୍ୟାମ୍ପସରେ କୋକୁଆ ଭୟ, ଉତ୍ତେଜନା

ଓଡ଼ିଆ ଗସିପ୍ ବ୍ୟୁରୋ: ବାଣୀବିହାର କ୍ୟାମ୍ପସରେ କରୋନା ଭାଇରସ ଭୟ । ଗତ ୧୪ ତାରିଖରେ କ୍ୟାମ୍ପସକୁ ଆସିଥିବା ୨୬ ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ତଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

ବିଏମ୍‌ସି, ପୁଲିସ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ପ୍ରଶାସନ କିମ୍ବା ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ବିଏମ୍‌ସି ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଆସି ବାକି ଶ୍ରମିକ ରହୁଥିବା ସ୍ଥାନ ବୁଲି ଦେଖିଛନ୍ତି ।

ଉକ୍ତ ଶ୍ରମିକଙ୍କ ରହଣୀସ୍ଥଳ ନିକଟରେ ବିଏମ୍‌ସି ପକ୍ଷରୁ କ୍ବାରାଣ୍ଟିନ୍‌ ବୋର୍ଡ ଲଗାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କୁଳସଚିବ ଦୟାନିଧି ନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ଯୋଗାକଯୋଗ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ।ଏହା ଜଣାପଡ଼ିବା ପରେ କ୍ୟାମ୍ପସର ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । ସେମାନେ ଛାନିଆ ହେବା ସହ ସନ୍ଧ୍ୟାରେ ହୋ-ହଲ୍ଲା କରିଛନ୍ତି ।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଖା‌ମଖିଆଲି ଓ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ ଏକଚାଟିଆ ନିଷ୍ପତ୍ତି ଯୋଗୁଁ କ୍ୟାମ୍ପସକୁ କରୋନା ପଶିଲା ବୋଲି ଅଭିଯୋଗ କରିଛନ୍ତି । ଅନ୍ତେବାସୀଙ୍କ କହିବାନୁଯାୟୀ, ପଶ୍ଚିମବଙ୍ଗର ଏହି ଶ୍ରମିକମାନେ ଗତ ୧୪ ତାରିଖରେ କ୍ୟାମ୍ପସକୁ ଆସିଥିଲେ । କରୋନା ସମୟରେ ଏମାନଙ୍କୁ କ୍ୟାମ୍ପସରେ ନ ପୂରାଇବାକୁ କୁଳପତିଙ୍କୁ ଅନୁରୋଧ କରାଯାଇଥିଲା ।

ତେବେ କୁଳପତି ପ୍ରଫେସର ପଟ୍ଟନାୟକ ରାତି ଅଧିଆ ଏମାନଙ୍କୁ କ୍ୟାମ୍ପସରେ ପ୍ରବେଶ ଲାଗି ଅନୁମତି ଦେବା ସହ ପ୍ରେକ୍ଷାଳୟରେ ରହିବା ଲାଗି ସୁଯୋଗ ଦେଇଥିଲେ । ୨୬ଜଣ ଯାକ ପ୍ରେକ୍ଷାଳୟରେ ରହିଥିଲେ ମଧ୍ୟ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବୁଲିଥିଲେ । ବିରୋଧ କଲେ ମଧ୍ୟ କେହି ଶୁଣି ନ ଥିଲେ । ବଡ଼ କଥା ହେଉଛି ଯେ କରୋନା ଆକ୍ରାନ୍ତ ବାହାରିଥିଲେ ମଧ୍ୟ ବିଏମ୍‌ସି କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏପର୍ଯ୍ୟନ୍ତ କ୍ୟାମ୍ପସକୁ ସିଲ୍‌ କରି ନାହାନ୍ତି ।

ଠିକା ସଂସ୍ଥା ଦ୍ବାରା ହେଉଥିବା ବିଲଡିଂ କାମକୁ ବି ବନ୍ଦ କରି ନାହାନ୍ତି । ଯେତେବେଳେ କି ଏହି ଶ୍ରମିକମାନେ କ୍ୟାମ୍ପସ ସାରା ବୁଲିଛନ୍ତି । ଶତାଧିକ ଶ୍ରମିକ ଏକାଠି ରହୁଛନ୍ତି । ଯଦି ସମସ୍ତଙ୍କ କରୋନା ପରୀକ୍ଷା କରାଯିବ ତେବେ ଆହୁରି କରୋନା ଆକ୍ରାନ୍ତ ବାହାରିବାର ଆଶଙ୍କା ପ୍ରକାଶ ପାଇଛି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କ୍ୟାମ୍ପସକୁ ଆସିଥିବାରୁ ଆଗରୁ ୩ଟି ପିଜି ବିଭାଗ ଓ ଗୋବିନ୍ଦ ସାହୁ ମାର୍କେଟକୁ ସିଲ୍‌ କରାଯାଇଥିଲା ।

ହେଲେ କରୋନା ଆକ୍ରାନ୍ତ ବାହାରିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସମ୍ପୃକ୍ତ ଠିକା ସଂସ୍ଥା ଦ୍ବାରା ଚାଲୁଥିବା କାମ ବନ୍ଦ କରିବା କିମ୍ବା ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଗୋଟିଏ ପଟେ ଅନ୍ତେବାସୀ ଭୟଭୀତ‌ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଦୁଇ ଦିନର ସଟ୍‌ଡାଉନ୍‌ ପରେ ସୋମବାର କ୍ୟାମ୍ପସ ପୁଣି ଖୋଲିବ । ପ୍ରଫେସର, ଅଧିକାରୀ, କର୍ମଚାରୀ କ୍ୟାମ୍ପସକୁ ଆସିବାକୁ ଏବେ ଭୟ କରୁଛନ୍ତି ।

ଅଧିକାଂଶ ପ୍ରଫେସର ଓ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । କାହିଁକି ନା ଏପର୍ଯ୍ୟନ୍ତ କ୍ୟାମ୍ପସକୁ ବିଶୋଧନ କରାଯାଇ ନାହିଁ । ବିଶୋଧନ ପାଇଁ ଦୁଇ ଦିନ ତଳେ ଟେଣ୍ଡର ଡକାଯାଇଛି । କେବେ ବିଶୋଧନ ହେବ ତାହା କେହି କହିପାରିବେ ନାହିଁ ।

Share this story

World Odia Language Conferene