କ୍ଷମା ମାଗନ୍ତୁ ଅପରାଜିତା; କାହିଁକି ଘଣ୍ଟ ଘୋଡାଉଛି ବିଜେପି?

କ୍ଷମା ମାଗନ୍ତୁ ଅପରାଜିତା; କାହିଁକି ଘଣ୍ଟ ଘୋଡାଉଛି ବିଜେପି?
କ୍ଷମା ମାଗନ୍ତୁ ଅପରାଜିତା; କାହିଁକି ଘଣ୍ଟ ଘୋଡାଉଛି ବିଜେପି?

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠି କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ୍‍ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଭୁବନେଶ୍ୱର ବିଜେପିରେ ଏବେ ଗୋଷ୍ଠି ବିବାଦ ଜୋରସୋର ଭାବେ ଚାଲିଥିବା ସମସ୍ତେ ଜାଣିଛନ୍ତି । ବାବୁ ସିଂହ ହେଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଏକାନ୍ତ ଅନୁଗତ । ଶ୍ରୀମତୀ ଷଡଙ୍ଗୀ ରାଜନୈତିକ ସଭା ସମିତିମାନ କରି ଜାଣିଶୁଣି କୋଭିଡ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ଭୁବନେଶ୍ୱର ବିଜେପିର ଗୋଷ୍ଠି କନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନରୁ ନଜର ହଟାଇବା ସହିତ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ବେଆଇନ୍‍ କାର୍ଯ୍ୟକୁ ଘଣ୍ଟ ଘୋଡାଇବାପାଇଁ ଶ୍ରୀ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତି ଯେତେ ବଡ ହୁଅନ୍ତୁ ନା କାହିଁକି, କୋଭିଡ ନିୟମ ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି ।

ଜନସାଧାରଣଙ୍କ ନଜର ଏ ଦିଗରୁ ହଟାଇବାପାଇଁ ବାବୁ ସିଂହଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ଉଦ୍ଦିଷ୍ଟ । କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ବିଏମ୍‍ସି କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ ଉତ୍‍କ୍ଷିପ୍ତ ହୋଇ ଶ୍ରୀ ସିଂହ ବିଏମ୍‍ସି କମିଶନରଙ୍କ ବିରୁଦ୍ଧରେ ବିଷ ଓଗାଳୁଛନ୍ତି ।

କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ହୀନ ରାଜନୀତି କରିବା ବଦଳରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କର ବେଆଇନ୍‍ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବା ସହିତ କରୋନା ମୁକାବିଲା ଯୁଦ୍ଧରେ ସାମିଲ ହେବାଲାଗି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

Share this story

World Odia Language Conferene