ଆରପାରିରେ ମାନବପ୍ରେମୀ ଆଦିତ୍ୟ: ମୃତ୍ୟୁର ସସପେନ୍ସ ବଢ଼ାଇଲା ଶେଷ କେଇପଦ କଥା

ଆରପାରିରେ ମାନବପ୍ରେମୀ ଆଦିତ୍ୟ: ମୃତ୍ୟୁର ସସପେନ୍ସ ବଢ଼ାଇଲା ଶେଷ କେଇପଦ କଥା
ଆରପାରିରେ ମାନବପ୍ରେମୀ ଆଦିତ୍ୟ: ମୃତ୍ୟୁର ସସପେନ୍ସ ବଢ଼ାଇଲା ଶେଷ କେଇପଦ କଥା

ଓଡ଼ିଆ ଗସିପ୍ ବ୍ୟୁରୋ: ସରକାରୀ ରେଳବାଇ ପୋଲିସ୍‌ ହାତରେ ଲାଗିଛି ଆଦିତ୍ୟ ଦାଶ ଓରଫ ମାନବପ୍ରେମୀ ଆଦିତ୍ୟଙ୍କ ଏକ ଡାଏରୀ । ଯାହାର ପ୍ରତିଟି ପୃଷ୍ଠା ଏବେ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ । ପୋଲିସକୁ ମିଳିଥିବା ଆଦିତ୍ୟଙ୍କ ଡାଏରୀର ସେଇ ଖାସ୍ 4 ପୃଷ୍ଠା ପୂରା ଘଟଣାର ମୋଡ଼ ବଦଳାଇ ଦେଇଛି ।

ମାସକ ତଳେ ପ୍ରେମ ବିବାହ କରିଥିବା ଆଦିତ୍ୟ ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କୁ ବହୁତ ଭଲ ପାଆନ୍ତି ବୋଲି ଲେଖିଯାଇଛନ୍ତି ଏହି ସୁଇସାଇଡ ନୋଟରେ ।  ଯଦିଓ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଆଦିତ୍ୟ ଉଲ୍ଲେଖ କରିଛନ୍ତି, ସୁଇସାଇଡ ନୋଟରେ ସେ ଲେଖିଯାଇଥିବା କେତେକ କଥାରୁ ସ୍ପଷ୍ଟ ବାରି ହେଉଛି ଯେ ସେ ହୁଏତ ଏକ ବା ଏକାଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କ ବିରୋଧରେ ଠିଆ ହୋଇ ଯାତନା ଭୋଗୁଥିଲେ ।

ହୁଏତ ତା’ର ପରିଣାମ ସ୍ୱରୂପ ସେ ନିଜ ଜୀବନ ନିଜ ହାତରେ ନେବା ଉଚିତ ମନେ କଲେ । ଆଦିତ୍ୟ ‘ପିପୁଲ୍‌ ଫର୍‌ ସେବା’ (People for Seva, PFS) ନାଆଁରେ ଏକ ସମାଜ ସେବା ସଙ୍ଗଠନ ଚଳାଉଥିଲେ ଓ ଏହା ଅଧୀନରେ ତ୍ରିଲୋଚନ ନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ । ସେହି ସଙ୍ଗଠନ ଓ ବୃଦ୍ଧାଶ୍ରମ ପାଇଁ ତାଙ୍କର ନିଷ୍ଠା ଓ ସ୍ୱପ୍ନ ତାଙ୍କ ସୁଇସାଇଡ ନୋଟର ପ୍ରତି ପୃଷ୍ଠାରେ ଝଲକୁଛି ।

କ’ଣ ଲେଖିଛନ୍ତି ଚିଠିରେ?‘‘ପ୍ରିୟ ପପୁ, ବିକାଶ ଏବଂ ‘ପିପୁଲ୍‌ ଫର୍‌ ସେବା’ର ଅନ୍ୟ ସଦସ୍ୟମାନେ । ମୃତ୍ୟୁ କେତେ ବେଳେ କୋଉ ବାଟରେ ଆସି କାହା ପାଖରେ ପହଞ୍ଚିଯାଏ ସେ କଥା କେହି ବି ଜାଣିନାହାନ୍ତି । ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ । କହନ୍ତି କି ଯିଏ ଯେତେ ଦିନ ପାଇଁ ଏ ଦୁନିଆକୁ ଆସିଛି ସେତେ ଦିନ ହିଁ ରହିବ । ମୋ’ର ବି ବୋଧେ ଶେଷ ସମୟ ଆସିଯାଇଛି ।

ତେବେ ଏହି ବାକ୍ୟ ‘‘ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ’’ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କ’ଣ ସେହି କାରଣ ଯାହା ମୃତ୍ୟୁ ହୋଇ ତାଙ୍କ ପାଖରେ ଉପସ୍ଥିତ ହୋଇଥିଲା? ସେ କାରଣ ଯେ ଅନ୍ତତଃ ପାରିବାରିକ ନୁହେଁ ତାହା ଏହି ସୁଇସାଇଡ୍‌ ନୋଟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଏହି ନୋଟ୍‌ ଦେଖିଥିବା କେତେକ ବୁଦ୍ଧିଜୀବୀ ।

‘‘ବଞ୍ଚି ଥାଉ ଥାଉ ଯାହା କରିପାରିଲି ନାହିଁ, ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୁତିରେ ମୋ’ର ଶେଷ ଇଚ୍ଛାଟି ପୂରଣ ହୋଇପାରିବ । ଆଶ୍ରମ ପାଇଁ ଜମି ଖଣ୍ଡେ କିଣି ଘର ଗୋଟେ ବନେଇବ । ବଡ଼ ନ ହେଉ ପଛକେ, ଛୋଟ ହେଲେ ବି ଉପରୁ ଦେଖି ମୋ’ ଆତ୍ମା ଶାନ୍ତି ପାଇବ,’’ ଲେଖିଛନ୍ତି ଆଦିତ୍ୟ ନିଜ ସୁଇସାଇଡ୍‌ ନୋଟରେ ।

ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଆଦିତ୍ୟ ଲେଖିଛନ୍ତି ଏହି ଚାରିଟି ବାକ୍ୟ: ‘‘ବୋଧ ହୁଏ ଏତିକି ଦିନ ହିଁ ମୋ’ର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋ’ର ବହୁତ ଭଲପାଇବା । ଉପରେ ରହି ମୁଁ ତୁମକୁ ବହୁତ ମିସ୍‌ କରିବି ।’’ ‘‘କାଲି ସକାଳେ ସେ (ତାଙ୍କ ବାପା ଓ ମା) ଆସି ପହଞ୍ଚିବେ । ତା’ ପୂର୍ବରୁ ହୁଏତ ମୁଁ ଦୁନିଆରେ ନ ଥିବି । ମୋ’ର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି,’’ ସେ ଲେଖିଛନ୍ତି । ‘‘ବିକାଶ, ମୋ’ ବାପା ମା’ ତୋତେ ଲାଗିଲେ । ତାଙ୍କ କଥା ବୁଝୁଥିବୁ,’’ ଆଉ ଜାଗେ ଲେଖିଛନ୍ତି ସେ ।

ନିଜର ଦୁଇ ଘନିଷ୍ଠ ସହଯୋଗୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଯାଇଛନ୍ତି: ‘‘ପପୁ ତୁ ଚେୟାରମ୍ୟାନ ଓ ବିକାଶ ତୁ ଟ୍ରେଜରର୍‌ ପଦରେ ରହି PFS ଅନୁଷ୍ଠାନକୁ ଚଳାଇବ । ମୋ’ ଫୋନ୍‌ ରହିଲା । ସେଥିରେ ସବୁ ନମ୍ବର ଅଛି । ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବ ନାହିଁ ।’’

Share this story

World Odia Language Conferene