ପତ୍ନୀଙ୍କୁ କରୋନା ପଜିଟିଭ କହି ସ୍ୱାମୀ ନିଖୋଜ, ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିଲେ, ପୁରା କାହାଣୀ କିଛି ଏପରି…

ପତ୍ନୀଙ୍କୁ କରୋନା ପଜିଟିଭ କହି ସ୍ୱାମୀ ନିଖୋଜ, ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିଲେ, ପୁରା କାହାଣୀ କିଛି ଏପରି…
ପତ୍ନୀଙ୍କୁ କରୋନା ପଜିଟିଭ କହି ସ୍ୱାମୀ ନିଖୋଜ, ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିଲେ, ପୁରା କାହାଣୀ କିଛି ଏପରି…

ଓଡ଼ିଆ ଗସିପ୍ ବ୍ୟୁରୋ: ‘ମୋତେ କରୋନା ପଜିଟିଭ ହୋଇଛି । ମୁଁ ଆଉ ବଞ୍ଚିବି ନାହିଁ ।’ ପତ୍ନୀଙ୍କୁ ଏତକ ଫୋନ୍‌ରେ କହି ସ୍ୱାମୀ ନିଖୋଜ ହୋଇଗଲେ । କିନ୍ତୁ ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନଭି ମୁମ୍ବାଇ ଅଞ୍ଚଳରେ । ଏସିପି ବିନାୟକ ଭଟ୍‌ସଙ୍କ ସୂଚନା ଅନୁସାରେ ନଭି ମିମ୍ବାଇ ଅଞ୍ଚଳରେ ରହୁଥିବା ୨୮ ବର୍ଷୀୟ ଜଣେ ଯୁବକ ଜୁଲାଇ ୨୪ ତାରିଖ ରାତିରେ ପତ୍ନୀଙ୍କୁ ମୋବାଇଲରେ ଫୋନ୍ କରିଥିଲେ ।

କହିଥିଲେ ସେ ତାଙ୍କର କରୋନା ଟେଷ୍ଟ କରାଇଥିଲେ । ଆଉ ବଞ୍ଚିବେ ନାହିଁ । ତେବେ ପତ୍ନୀ ତାଙ୍କୁ କିଛି ପଚାରିବା ପୂର୍ବରୁ ସେ ହଠାତ୍ ଫୋନ୍ କାଟି ଦେଇଥିଲେ । ଏହାପରେ ଆଉ ତାଙ୍କର ଦେଖା ମିଳିନଥିଲା । ତାଙ୍କ ମୋବାଇଲ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା ।

ପତ୍ନୀ ବ୍ୟସ୍ତ ହୋଇ ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ ଜଣାଇଥିଲେ । ଶେଷରେ ସେମାନେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ଦୁଇଦିନ ପରେ ସମ୍ପୃକ୍ତ ଯୁବକଙ୍କ ବାଇକ୍‌, ଚାବି, ହେଲମେଟ୍ ଓ ବ୍ୟାଗ୍ ଭାସିର ସେକ୍ଟର-୧୭ ଅନ୍ତର୍ଗତ ରୋଡ୍‌ରୁ ମିଳିଥିଲା । କିନ୍ତୁ ଯୁବକଙ୍କ ବିଷୟରେ ପୁଲିସକୁ କୌଣସି ସୂଚନା ମିଳିନଥିଲା ।

ଅଭିଯୋଗ ମିଳିବା ପରେ ପୁଲିସ ଧିରେ ଧିରେ ତଦନ୍ତକୁ ଆଗେଇ ନେଇଥିଲା । ସମ୍ପୃକ୍ତ ଯୁବକଙ୍କ ବାଇକ ମିଳିଥିବା ସ୍ଥାନ ଓ ତାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିବା ସହ ତାଙ୍କ ମୋବାଇଲକୁ ଟ୍ରାକ୍ କରିବା ଲାଗି ପ୍ରୟାସ କରିଥିଲା ।

ମୋବାଇଲ କଲ୍ ଡିଟେଲ୍ସରୁ ପୁଲିସ ଜାଣିବାକୁ ପାଇଥିଲା ଯେ ପତ୍ନୀଙ୍କୁ ଫୋନ୍ କରିବା ପରେ ଯୁବକ ଜଣକ ଜରୁରୀ ଟେଲିଫୋନ୍ ନମ୍ବର ୧୦୦କୁ ଦୁଇଥର ଡାଏଲ କରିଥିଲେ । ତେଣୁ ପୁଲିସ ଡକାୟତି କିମ୍ବା ପୂର୍ବ ଶତ୍ରୁତା ଥିବା ନେଇ ସନ୍ଦେହ କରିଥିଲା ।

ତଦନ୍ତ ଆଗକୁ ବଢ଼ିବା ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ଜାଣିବାକୁ ପାଇଥିଲା । ତେଣୁ ପୁଲିସ ସେହି ଦିଗକୁ ନେଇ ତଦନ୍ତ କଲା । ଶେଷରେ ସମ୍ପୃକ୍ତ ଯୁବକ ନିଜ ଗାର୍ଲଫ୍ରେଣ୍ଡ ସହ ଇନ୍ଦୋରରେ ରହୁଥିବାର ପୁଲିସ ଜାଣିବାକୁ ପାଇଥିଲା ।

ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ଉଭୟ ଯୁବକ ଓ ତାଙ୍କ ଗାର୍ଲଫ୍ରେଣ୍ଡକୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନଭି ମୁମ୍ବାଇକୁ ଆଣିଥିଲା ।

Share this story

World Odia Language Conferene